ନୂଆଦିଲ୍ଲୀ,୦୩/୧୨: କେରଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର୍-ବସ୍ ମୁହାଁମୁହିଁ ଧକ୍କା । ଫଳରେ ୫ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। କେରଳର ଆଲାପୁଝା ଜିଲ୍ଳା କାଲାରକୋଡ ନିକଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।
ସୂଚନା ମୁତାବକ, ଗତକାଲି ଅର୍ଥାତ ସୋମବାର ବିଳମ୍ବିତ ରାତିରେ କେରଳର ଆଲାପୁଝା ଅଞ୍ଚଳରେ କାର- ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । କାରରେ ୭ ଜଣ ଥିବା ବେଳେ ସେଥିରୁ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏନେଇ ଖବର ପାଇ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା । ଏହି ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ଗୁରୁତର ୨ଜଣଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ବସଟି ଅଧିକ କ୍ଷତିଗ୍ରସ୍ତ ହୋଇନଥିବା ବେଳେ କିଛି ଯାତ୍ରୀ ସାମାନ୍ୟ ଆହାତ ହୋଇଥିବା ଜଣାପଡିଛି । ତେବେ ମୃତ ମେଡିକାଲ ଛାତ୍ରମାନେ ହେଲେ ଲାକ୍ଷାଦ୍ୱୀପର ବୋଲି ଜଣାପଡିଛି । ସେମାନେ ହେଲେ ଦେବାନନ୍ଦ ଏବଂ ମହମ୍ମଦ ଇବରାହିମ, ଆୟୁଶ ଶାଜି, ଶ୍ରୀଦୀପ ଭଲସନ୍ ଏବଂ ମହମ୍ମଦ ଜବର । ସମସ୍ତେ ଆଲାପୁଝା ଟିଡି ମେଡିକାଲ କଲେଜର ଛାତ୍ର ବୋଲି ଜଣାପଡ଼ିଛି । ତେବେ ଦୃତ ଗତିରେ ଗାଡ଼ି ଚାଳନା ଯୋଗୁଁ ଏହି ଦୁର୍ଘଟଣା ହୋଇଥିବା ସ୍ଥାନୀୟ ବାସିନ୍ଦା ସୂଚନା ଦେଇଛନ୍ତି ।